ଜିଲ୍ଲାସଂଘ ସମଗ୍ର ରାଜ୍ୟକୁ ଆଲୋକ ଦେଖାଇବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହର୍ଷି ବିଦ୍ୟାଳୟ ରୋଡ଼ସ୍ଥିତ ରାଜଶ୍ରୀ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଜଗନ୍ନାଥ ଭଜନ ଗାନ କରି ଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକ ଜୟେନ୍ଦ୍ର ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ରଥ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଦିବଂଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ବର୍ଷ ସଂଘ ୨୫ ବର୍ଷ ପୂରଣ କରୁଥିବାରୁ ଜିଲ୍ଲା ସଂଘ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ସେହିପରି ଜିଲ୍ଲା ସଂଘ ପକ୍ଷରୁ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠିତ ହୋଇଥିବା ବେଳେ ଆଗାମୀ ଦିନରେ କୌଣସି କାର୍ଯ୍ୟରତ ସାମ୍ବାଦିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଚିକିତ୍ସା ସହାୟତା ବାବଦ ସର୍ବାଧିକ ୫ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ରୁମ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କରାଯିବା ପାଇଁ ସ୍ଥିର ହୋଇଥିଲା । ଆସନ୍ତା ଜାନୁଆରୀ ମାସରେ ସାମ୍ବାଦିକମାନଙ୍କ ଦାରିଙ୍ଗବାଡି ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସାମ୍ବାଦିକ ସୁବାସ ଚନ୍ଦ୍ର ମହାପାତ୍ର, ରଣଜିତ ଦାଶ, ବିନୋଦ ମହାପାତ୍ର, ଶ୍ରୀପତି ମହାରଣା, ଲୋକନାଥ ମିଶ୍ର, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣି, ବିନାୟକ ମିଶ୍ର, ରବୀନ୍ଦ୍ର କୁମାର ପଟ୍ଟନାୟକ, କିଶୋର ରାଉତରାୟ, ପୁରୁଷୋତ୍ତମ ମହାପାତ୍ର, ପ୍ରଭାସିନୀ ନନ୍ଦ, ଭବାନୀ ଶଙ୍କର ଦାଶ, ରାମେଶ୍ୱର ଶତପଥୀ, ଦେବୀପ୍ରସାଦ ମିଶ୍ର, ସନାତନ ଷଡ଼ଙ୍ଗୀ, ଆଦର୍ଶ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଆଗାମୀ ଦିନରେ ସମଗ୍ର ରାଜ୍ୟକୁ ଆଲୋକ ଦେଖାଇବ ବୋଲି ମତବ୍ୟକ୍ତ କରିଥିବା ବେଳେ ସାମ୍ବାଦିକମାନେ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ସ୍ଥାୟୀ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ନୂତନ ସଭାପତି ପ୍ରତିଶୃତି ପ୍ରଦାନ କରିଥିଲେ। ଜିଲ୍ଲାର ସମସ୍ତ ୮ଟି ବ୍ଲକରୁ ମୋଟ ୧୩୫ ଜଣ କାର୍ଯ୍ୟରତ ସାମ୍ବାଦିକ ଯୋଗଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।