ନୟାଗଡ଼ରେ ଟ୍ରେଡୟୁନିଅନମାନଙ୍କ କଳାଦିବସ ପାଳନ

ଏହି ପ୍ରତିବାଦ ବିକ୍ଷୋଭରେ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟାକୁ ଘୋର ବିରୋଧ କରାଯାଇଛି।

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ତା୨୩.୦୯.୨୦୨୪ ରେ ନୟାଗଡ଼ରେ କଳାଦିବସ ପାଳନ କରାଯାଇ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ କାର୍ଯ୍ୟକଳାପର ତୀବ୍ର ବିରୋଧ କରାଯାଇଛି। ଏ.ଆଇ.ଟି.ୟୁ.ସି., ଆଇ.ଏନ୍.ଟି.ୟୁ.ସି. ଓ ସି.ଆଇ.ଟି.ୟୁ.ର ଶତାଧିକ ସତ୍ୟାଗ୍ରହୀ ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସଭା କରିଥିଲେ। ସି.ଆଇ.ଟି.ୟୁ.ର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉକ୍ତ ଶ୍ରମିକ ସଂଗଠନଗୁଡ଼ିକର ପ୍ରମୁଖ ନେତା ଅମୀୟ ପଟ୍ଟନାୟକ, ସୁରେଶ ସ୍ବାଇଁ, ଆଲୋକ ପ୍ରଧାନ,କମଳେଷ ଦାସ, ପବିତ୍ର ଇନ୍ଦ୍ରଜିତ, ଭୁବନ ହାତୀ, ସଞ୍ଜୁକ୍ତା ସେଠୀ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାର ତୁରନ୍ତ ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୁରୁଣା ଶ୍ରମ ଆଇନକୁ ବଳବତ୍ତର ରଖିବା, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ଛବିଶ ହଜାର ଟଙ୍କା ପାରିଶ୍ରମିକ ଦେବା, ଠିକା ବଦଳରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା, ସ୍କିମ୍ ଶ୍ରମିକ ମାନଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ସହିତ ସରକାରୀ କର୍ମଚାରୀର ମାନ୍ୟତା ଦେବା, ସର୍ବନିମ୍ନ ପେନସନ ଦଶହଜାର ଟଙ୍କାରୁ ଉର୍ଦ୍ଧ୍ବ ଦେବା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସମ୍ପ୍ରସାରଣ କରିବା ଇତ୍ୟାଦି ଦାବି ଉପରେ ଆଲୋକପାତ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ନେତୃସ୍ଥାନୀୟ ଏକ ପ୍ରତନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Related posts