ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଭାଷା ଓ ସଂସ୍କୃତି ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷାବିତ ତଥା ସୁବକ୍ତା ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ୧୮୯୪ ମସିହା ଗଣେଶ ଚତୁର୍ଥୀରେ ଜିଲାର ଶରଣକୁଳ ଗ୍ରାମର ମାଳିସାହିଠାରେ ପଣ୍ଡିତ ବିନାୟକ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିନାୟକ ମିଶ୍ର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ । ଓଡ଼ିଆ ସାହିତ୍ୟରେ ଅନନ୍ୟ ସାରସ୍ବତ ସ୍ରଷ୍ଟା ବିନାୟକଙ୍କ କାଳଜୟୀ ସୃଷ୍ଟି ଏବଂ ସାହିତ୍ୟ, ଇତିହାସ, ସଂସ୍କୃତ ଦିଗରେ ତାଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ବସିରନ ବିବିଙ୍କ କବିତା ସଙ୍କଳନ ପ୍ରତ୍ୟାଶା ଏବଂ ପ୍ରଭାସିନୀ ବରାଡ଼ଙ୍କ ଅନ୍ତୁଡ଼ିରୁ ଜୁଇ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ କରାଯାଇଥିବା ବକ୍ତୃତାମାଳା ଏବଂ କବିତା ଆବୃତ୍ତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜିଲାସ୍ତରୀୟ କବିତା ଆସରରେ କବି ଓ କବିୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ। ତଥାସ୍ତୁର ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...