ପରିବେଶ ସାଧକ ଶ୍ରମିକ ଯୋଗୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପରିବେଶ ଆନ୍ଦୋଳନକୁ ବିଶ୍ଵ ଦରବାରରେ ପରିଚିତ କରାଇଥିବା ଯୋଗଜନ୍ମା ପରିବେଶ ସାଧକ, ବୃକ୍ଷ ଓ ଜୀବର ବନ୍ଧୁ ତଥା ନୟାଗଡ଼ କେଶରପୁର ଜଙ୍ଗଲ ସୁରକ୍ଷା ମହାସଂଘର ପ୍ରାଣ ପ୍ରତିଷ୍ଠାତା ଶ୍ରମିକ ଯୋଗୀଙ୍କ ଆଜି ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ ଆନୁକୁଲ୍ୟରେ କଇଥିଗାଡିଆ ରାସ୍ତା ଖଣ୍ଡାୟତ ସମାଜ ଗୋଷ୍ଠୀ ଗୃହରେ ମହାସଂଘ ସଭାପତି ଶରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପରିବେଶ ପ୍ରେମୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ରେଣୁବାଳା ସୁବୁଦ୍ଧିଙ୍କ ପରିବେଶ ସଙ୍ଗୀତ ଗାନ ଓ ବିଭୁ ବନ୍ଦନା ପରେ ଶ୍ରମିକ ଯୋଗୀଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାସଂଘର ଦିବଂଗତ ଆତ୍ମା ପ୍ରଫେସର୍ ରାଧା ମୋହନ, ଗୌରାଙ୍ଗ ପ୍ରଧାନ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଭିକ୍ଷାକାରୀ ଲେଙ୍କା, ରବିନ୍ଦ୍ର କୁମାର ସୁବୁଦ୍ଧି, ଶଙ୍କର୍ଷଣ ବେହେରାଙ୍କ ନିମନ୍ତେ ଶୋକ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ବିଶ୍ଵନାଥ ମହାପାତ୍ର, ସମ୍ମାନିତ ଅତିଥି ରୂପେ ସମାଜସେବୀ ଦାମ ସାର୍, ପରିବେଶ ଓ ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀ ଯୋଗଦେଇ ଯୋଗୀ ସାରଙ୍କ ସ୍ମୃତି ଚାରଣ ସହ ପରିବେଶ ସୁରକ୍ଷା ଉପରେ ପ୍ରତ୍ୟେକଙ୍କ ଭୂମିକା ସହ ଜଙ୍ଗଲ ମହାସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କେ ଆଲୋକପାତ କରିଥିଲେ।

ଏ ଅବସରରେ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ସୁରେଶ ଚନ୍ଦ୍ର ହୋତାଙ୍କୁ ‘ଶ୍ରମିକ ଯୋଗୀ ସେବା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ମହାସଂଘର ସମସ୍ତ ବ୍ଲକ କର୍ତ୍ତା, ଯୋଗୀ ସାରଙ୍କ ପରିବାର ଓ ବନ୍ଧୁ ବର୍ଗ, ସଂଘର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ କୁମାର ପଣ୍ଡା, ଅକ୍ରୁର ବେହେରା, ଅନ୍ତର୍ଯ୍ୟାମୀ ମିଶ୍ର, ସନାତନ ଜେନା, ଗୋପୀନାଥ ପ୍ରଧାନ, ଜଳନ୍ଧର ଜେନା, କିଶୋର ପାଣି, ରେଣୁବାଳା ପ୍ରଧାନଙ୍କ ସମେତ ସମାଜସେବୀ କାମାକ୍ଷା ପ୍ରସାଦ ଦାସ୍, ଅରୁଣ କୁମାର ମହାନ୍ତି, ଆଦିତ୍ୟ ପ୍ରସାଦ ଦାସ, ସତ୍ୟବାଦୀ ସ୍ୱାଇଁ, ବୃକ୍ଷ ଓ ଜୀବର ବନ୍ଧୁ ପରିଷଦର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ।ସାମାଜିକ ଓ ପରିବେଶ କର୍ମୀ ବିକ୍ରମ କୁମାର ନାୟକ ଏବଂ ଭଗବାନ ସାହୁ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ କରିଥିବା ବେଳେ ଅନ୍ତର୍ଯ୍ୟାମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts