ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଅନୁଷ୍ଠିତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦାନ କରି ସରକାରୀ ସ୍କୁଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଆଜି ସବୁକ୍ଷେତ୍ରରେ ଏବଂ ସବୁ ସ୍ଥାନରେ ଉଚ୍ଚ ଆସନରେ ଅଧିଷ୍ଠିତ ଅଛନ୍ତି। ପିତାମାତାମାନେ ପିଲାଙ୍କ ପରସେଣ୍ଟଜ ବା ନମ୍ବର ପଛରେ ନପଡ଼ି ସେମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଯୋଗୁଁ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି ବୋଲି କହିଥିଲେ। ଅନ୍ୟ ପକ୍ଷରେ ପିଲାମାନେ ଦୁଷ୍ଟ ହୁଅନ୍ତୁ କିନ୍ତୁ ନଷ୍ଟ ହୁଅନ୍ତୁ ନାହିଁ ଏବଂ ପିତାମାତାମାନେ ପିଲାମାନଙ୍କୁ ଅତି ଉଚ୍ଚ କରିବା ଆଶାରେ ସେମାନଙ୍କୁ ଏଟିଏମ ମେସିନରେ ପରିଣତ ନ କରନ୍ତୁ ବୋଲି ଆହ୍ୱାନ ଦେବା ସହିତ ବିଦ୍ୟାଳୟର ଉତ୍ତୋରତର ଉନ୍ନତି କାମନା କରିଥିଲେ । ବିଶିଷ୍ଟ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାରଣା ଯୋଗଦାନ କରି ବିଦ୍ୟାଳୟ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି ବୋଲି ମତବ୍ୟକ୍ତ କରିବା ସହିତ ମୋ ଜୀବିତାବସ୍ଥାରେ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉଥିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଆଲୁମିନି କମିଟିର ଅଧ୍ୟକ୍ଷ ଲଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ଦାସଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମଞ୍ଚାସୀନ ହୋଇଥିଲେ । ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଓ ଦୀପ ପ୍ରଜ୍ଜଳନ କରିବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ପୂର୍ବତନ ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲ। ପୁରାତନ ଛାତ୍ର ତଥା ଅଧ୍ୟାପକ ଗଣେଶ ମିଶ୍ର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ବିବରଣୀ ପଠନ ଏବଂ ଶିକ୍ଷୟିତ୍ରୀ ରସିଦା ଖାତୁନ ଧନ୍ୟବାନ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଡ.ପ୍ରଦୀପ ଭୌମିକଙ୍କ ରଚିତ ଏବଂ ଡ.ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘ପରମାନନ୍ଦ ମୋଦକ’ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା । ବିଦ୍ୟାଳୟ ଆଲୁମିନି କମିଟି ସଭାପତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଏବଂ ସୁବର୍ଣ୍ଣ ଜୟନ୍ତୀ କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Related posts