୪୦ ଲକ୍ଷ ଟଙ୍କା ଠକେଇ, ଠକ ଫାଇନାନ୍ସ କର୍ମଚାରୀ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୂର୍ଯ୍ୟଦୟ ଫାଇନାନ୍ସ ନୟାଗଡ଼ ଶାଖାରେ
କାର୍ଯ୍ୟରତ ଜଣେ କର୍ମଚାରୀ ରିଜାଇନ କରିବା ପରେ ୪୦ ଲକ୍ଷ ଟଙ୍କା ଠକେଇ
କରିଥିଲେ । ନୟାଗଡ଼ ଟାଉନଥାନା ପୁଲିସ ଅଭିଯୁକ୍ତ ପୂର୍ବତନ କର୍ମଚାରୀ
ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୯ ଲକ୍ଷ ୯୦ ହଜାର ଟଙ୍କା ଜବତ
କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା
ଟୋଲପଡ଼ା ଗ୍ରାମର ପ୍ରବୀର କୁମାର ସେନାପତି । ଏନେଇ ଆଜି ନୟାଗଡ଼
ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଛନ୍ତି । ସୂର୍ଯ୍ୟଦୟ ସ୍କୁଲ ଫାଇନାନ୍ସ ବ୍ୟାଙ୍କ ନୟାଗଡ଼ ଶାଖାରେ ପ୍ରବୀର
ରିଲେସନସିପ୍ ଅଫିସର ଭାବେ କାମ କରୁଥିଲେ । କୌଣସି କାରଣରୁ ଗତ ୨
ତାରିଖରେ ସେ ରିଜାଇନ ଦେଇଥିଲେ । ତାଙ୍କ ସ୍ଥାନରେ ତାଙ୍କର ଜଣେ ବନ୍ଧୁ
ଅଭିମନ୍ୟୁ ମୁଦୁଲି କାମ କଲେ । ଅଭିମନ୍ୟୁଙ୍କ ଏକ ପୁରୁଣା ମୋବାଇଲକୁ
ପ୍ରବୀର କିଣି ଠକେଇ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ୮ଟି ନକଲି
ଆକାଉଣ୍ଟ ଖୋଲି ୪୦ ଲକ୍ଷ ଟଙ୍କା ହରିଲୁଟ କରିଥିଲେ । ଏହା ଜାଣିବା ପରେ
ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଜ୍ୟୋତିରଞ୍ଜନ ପରିଡ଼ା ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପ୍ରବୀରଙ୍କଠାରୁ ୯ ଲକ୍ଷ ୯୦ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଏହା ସହିତ ଉକ୍ତ ଟଙ୍କା ମହଜୁଦ ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ପ୍ରବୀର ୧ ଲକ୍ଷ ୪ ହଜାର ୫ ଶହ ଟଙ୍କାର ଏକ ବୀମା ମଧ୍ୟ କରିଥିବା ଜଣାଯାଇଛି । ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସାମ୍ବାଦିକ ସମ୍ମିଳନୀରେ ଡିଏସପି ତଥା ଭାରପ୍ରାପ୍ତ ଏସଡିପିଓ ତପସ୍ବିନୀ କହଁର, ନୟାଗଡ଼ ସଦରଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ, ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ, ଏସଆଇ ଶିବରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Related posts