ଆତ୍ମହତ୍ୟା ନୁହେଁ ସୋନାଲୀଙ୍କୁ ହତ୍ୟା, ୪ଗିରଫ ସ୍ୱାମୀ ଫେରାର

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ରହୁଥିବା ଦେବାଶିଷ ମିଶ୍ରଙ୍କ ପତ୍ନୀ ଜ୍ୟୋର୍ତିମୟୀ ପଣ୍ଡା(ସୋନାଲୀ) ଆତ୍ମହତ୍ୟା ଘଟଣା ଭିନ୍ନମୋଡ଼ ନେଇଛି। ସୋନାଲିଙ୍କ ବାପା ତଥା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମର ପ୍ରକାଶ କୁମାର ପଣ୍ତା ତାଙ୍କ ଝିଅ ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ୪ବର୍ଷ ପୂର୍ବେ ଦେବାଶିଷଙ୍କ ସହ ସୋନାଲିର ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ହୋଇଥିଲା ବେଳେ ୩ ବର୍ଷର ପୁଅଟିଏ ରହିଛି । ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ ବିଭିନ୍ନ ଛୋଟ ମୋଟ କଥାରୁ ଖିଅ ବାହାର କରି ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସୋନାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବେଳେ ସୋନାଲି ଅଳ୍ପକେ ରକ୍ଷା ପାଇଥିଲେ। ନିର୍ଯ୍ୟାତନା ଭୋଗିବା ତାଙ୍କ ପାଇଁ ନିତିଦିନିଆ ଘଟଣା ପାଲଟି ଯାଇଥିଲା।

ଗତକାଲି କୈାଣସି କାରଣକୁ ନେଇ ସୋନାଲିକୁ ସମସ୍ତେ ମିଶି ମାରଧର କରିଥିଲେ। କିନ୍ତୁ କେହି ଜାଣି ନଥିଲେ ସୋନାଲିର ମୃତ୍ୟୁ ହୋଇଯିବ ବୋଲି। ସୋନାଲି ମୃତ୍ୟୁ ହୋଇଥିବା ପରେ ତାକୁ ନେଇ ଏକ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ସୋନାଲିଙ୍କ ପଛପଟେ ମାଡ଼ ବାଜି ଦାଗ ଥିବା ବେଳେ ତଳଘରୁ ଝୁଲା ଯାଇଥିବା ଘର ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବା ପୁଲିସ ଦେଖିବାକୁ ପାଇଛି। ଘଟଣା ଘଟିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ଘଟଣାକୁ ଲୁଚାଇ ରଖିଥିଲେ। ସୋନାଲି ଫ୍ୟାନରେ ଝୁଲିଥିବାବେଳେ ପାରିପାର୍ଶ୍ବିକ ଅବସ୍ଥାକୁ ଲକ୍ଷ୍ୟ କଲେ ତାଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଶାଶୁ, ଶ୍ବଶୁର ପୁଲିସ ସହିତ ବିଭିନ୍ନ ଯୁକ୍ତିତର୍କ କରିଥିଲେ। ଏହାପରେ ପୁଲିସର ସନ୍ଦେହ ବଢିବାରୁ ଘରେ ପଶି ଶବକୁ ଜବତ କରିଥିଲେ। ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା। ଏନେଇ ଝିଅର ବାପା ପ୍ରକାଶ କୁମାର ପଣ୍ତା ତାଙ୍କ ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଘରେ କାମ କରୁଥିବା ଭଞ୍ଜନଗର ଅଞ୍ଚଳର ଦୁଇଜଣ ଜଗନ ଗୌଡ଼ (୨୦) ଓ ଦିଲ୍ଲୀପ କୁମାର ସାହୁ (୩୦)କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଶାଶୁ ଝରଣା ମିଶ୍ର, ଶ୍ବଶୁର ପ୍ରକାଶ ମିଶ୍ର, ଶାଶୁଙ୍କ ମାଆ ପ୍ରମିଳା ଦାସ ଏବଂ ଶାଶୁଙ୍କ ଭାଇ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ସ୍ବାମୀ ଦେବାଶିଷ କୁଆଡେ ଫେରାରଥିବା ସୂଚନା ମିଳିଛି । ଏହି ଘଟଣାରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଶାଶୁଙ୍କ ମା’ ପ୍ରମିଳା ଦାସଙ୍କୁ ଛାଡି ଦେଇଥିବା ବେଳେ ଦେବାଶିଷଙ୍କ ମାମୁଁ ଫେରାର ହୋଇଯାଇଛନ୍ତି। ଏହା ପଛରେ ସ୍ବାମୀର ପରକ୍ରିୟା ପ୍ରିତି ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅଟକଥିବା ୪ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ଫେରାର ଥିବା ସ୍ୱାମୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।

Related posts