ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ଖେଡପଡ଼ା ବିଟ୍ ହାଉସ ଅଞ୍ଚଳରୁ ଅଢେଇ କିଲୋ କୋଟରା ମାଂସ, ବଣଭୁଆର କଟାମୁଣ୍ଡ, ଛାଲ ଜବତ କରିବା ସହ ଜଣେ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ହୋଇଥିବା ଶିକାରୀ ଜଣଙ୍କ ହେଲେ କଣ୍ଟାବଣିଆ ଗାଁର ଲକ୍ଷ୍ମୀଧର ଜେନା(୨୧) । ସୂଚନାନୁସାରେ, ଖେଡପଡ଼ା ବିଟ୍ ହାଉସ୍ ଅନ୍ତର୍ଗତ କଣ୍ଟାବଣିଆ ଗାଁର ଋଷି ଜେନାଙ୍କ ପୁଅ ଲକ୍ଷ୍ମୀଧର ଜେନା ବିଭିନ୍ନ ସମୟରେ ବନ୍ୟପ୍ରାଣୀ ଶିକାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ବିଶେଷ ସୁତ୍ରରୁ ଖବର ପାଇବା ପରେ ସୋମବାର ରାତିରେ ବନପାଳ ସୁମିତ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଟିମ୍ ଲକ୍ଷ୍ମୀଧରଙ୍କ ଘରେ ଚଢାଉ କରିଥିଲେ । ଚଢାଉ ସମୟରେ ଲକ୍ଷ୍ମୀଧରଙ୍କ ଘରୁ ଅଢେଇ କିଲୋ କୋଟରା ମାଂସ ଜବତ କରିବା ସହ ଶିକାରୀ ଲକ୍ଷ୍ମୀଧରକୁ ଅଟକ ରଖି ପଚରାଉଚୁରା କରିଥିଲେ । ତଦନ୍ତ ବେଳେ ସବୁ ସତ ସତ ମାନିଯାଇଥିଲା ଲକ୍ଷ୍ମୀଧର । ତେବେ ମୁଣ୍ଡ ଓ ଛାଲ ପୋତିଥିବା ସ୍ଥାନକୁ ନେଇଥିଲା ଲକ୍ଷ୍ମୀଧର। ଏକ ନାଳ ନିକଟରୁ ପୋତାଯାଇଥିବା କଟାମୁଣ୍ଡ ଓ ଛାଲ ଉଦ୍ଧାର କରିଥିଲେ ବନ କର୍ମଚାରୀ । ତେବେ ଉକ୍ତ ଛାଲ ଓ ମୁଣ୍ଡ ବଣଭୁଆର ବୋଲି ଜଣାପଡିଛି । ତେବେ ଏନେଇ ନୟାଗଡ଼ ବନାଞ୍ଚଳ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇ ଶିକାରୀ ଲକ୍ଷ୍ମୀଧରକୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗି ସୂଚନା ଦେଇଛନ୍ତି ।
କଟାମୁଣ୍ଡ ସହ ମାଂସ ଜବତ, ଶିକାରୀ ଗିରଫ
