ସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ହେଉଛି ଦୁଇଧାରୁଆ ଖଣ୍ଡା ସଦୃଶ ତେଣୁ ଅନୁବାଦ କାର୍ଯ୍ୟ କଲାବେଳେ ଅନୁବାଦକଙ୍କୁ ବେଶ୍ ସତର୍କ ଓ ସଜାଗ ରହିବାକୁ ପଡେ। ଯଥାର୍ଥ ଅନୁବାଦ ପାଇଁ ମୂଳଭାଷା ଓ ସ୍ରୋତ ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ଅନୁବାଦକ ଜଣେ ସର୍ଜନଶୀଳ ବ୍ୟକ୍ତି ଏବଂ ସଂସ୍କୃତି ତଥା ସାହିତ୍ୟର ବିସ୍ତାର ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟସ୍ତରର ଖ୍ୟାତିପ୍ରାପ୍ତ ଅନୁବାଦକ ଦିନେଶ ମାଳୀ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ସଂଯୋଜନା ରେ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଅନୁବାଦକମାନଙ୍କର ସାରସ୍ୱତ ସମ୍ମିଳନୀର ” ଅନୁଭବରେ ଅନୁବାଦକ” କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସେ। ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଅନୁଷ୍ଠାନ ତରଫରୁ ଅନୁବାଦକମାନଙ୍କର ଏକ ପରିଚୟ ପୁସ୍ତିକା ପ୍ରକାଶନ ଏବଂ ସେପ୍ଟେମ୍ବର ୩୦ ବିଶ୍ୱ ଅନୁବାଦ ଦିବସ ରେ ଭୁବନେଶ୍ୱରଠାରେ ଜାତୀୟସ୍ତରର ଅନୁବାଦକ ସମ୍ମିଳନୀ ଆୟୋଜନ ବିଷୟରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ମିତା ପଟ୍ଟନାୟକ ଏବଂ ସଂଘମିତ୍ରା ରାଏଗୁରୁଙ୍କ ସଂଯୋଜନାରେ ହିନ୍ଦୀ ତଥା ଓଡ଼ିଆ ଭାଷାର ଖ୍ୟାତିପ୍ରାପ୍ତ ଅନୁବାଦିକା ମଞ୍ଜୁଶର୍ମା ମହାପାତ୍ର, ରେଭେନ୍ସା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ଡ.ଅଞ୍ଜୁମନ ଆରା, ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ସ୍ୱପ୍ନା ବେହେରା, ଡ.ସଂଗୀତା ରଥ, ସରୀତା ନାୟକ, ଚନ୍ଦ୍ରମା ମହାପାତ୍ର ପ୍ରମୁଖ ଅନୂଦିତ ବହୁଭାଷୀ କାବ୍ୟ ପାଠ କରିଥିଲେ।

Related posts