ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟିତ

ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଖରିଫ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଖଣ୍ଡପଡ଼ା ରୋଡ଼ରେ ଥିବା ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣ ଠାରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଧାନ ମଣ୍ଡିର ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ଖାଦ୍ୟ ନିଗମର ଯୁବ ନିର୍ଦ୍ଦେଶକ ନରେନ୍ଦ୍ର ରାଉତ, ଏଆରସିଏସ ଗିରିଜା ନନ୍ଦନ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଓ ବାହାଡ଼ଝୋଲା ବଜାର ନିୟନ୍ତ୍ରିତ କମିଟିର ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମିଲର ସଂଘ ପକ୍ଷରୁ ବହୁ ମିଲର ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ । ସୁଖିଲା ଓ ସଫାସୁତରା ଧାନ ଦେବାକୁ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ନୟାଗଡ଼ ଜିଲ୍ଲାରେ ଚାଷୀମାନେ ବିକ୍ରି ଯୋଗ୍ୟ ବଳକା ଧାନକୁ କ୍ରୟ କରିବା ପାଇଁ ୧୫୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୪ ଗୋଟି ମଣ୍ଡି ଦ୍ୱାରା ଧାର୍ଯ୍ୟ ବାରରେ ଧାନ କ୍ରୟ କେନ୍ଦ୍ର ଖୋଲା ଯାଇଅଛି । ଚାଷୀମାନେ ନିଜର ଅମଳ ଧାନକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଚୟନ ହୋଇଥିବା ଧାନ କେନ୍ଦ୍ର ମାନଙ୍କରେ ନିର୍ଦ୍ଧାରିତ ମୂଲ୍ୟରେ ସକାଳ ୮ ଘଟିକାରୁ ଦିବା ୨ ଘଟିକା ମଧ୍ୟରେ ବିକ୍ରି କରାଯିବ ବୋଲି ସୁଚନା ଦଆଯାଇଛି । ସାଧାରଣ ଧାନ କ୍ୱଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବାବେଳେ ଗ୍ରେଡ A ଧାନ ୧୯୬୦ ଟଙ୍କା ରଖା ଯାଇଛି । ପଞ୍ଜିକୃତ ହୋଇଥିବା ଚାଷୀ ଓ ପୂର୍ବରୁ ମୋବାଇଲ ଜରିଆରେ ଟ୍ରାକ୍ଟର ଟୋକେନ ଅନୁଯାୟୀ ବିକ୍ରିଲବ୍ଧ ଧାନ ବ୍ୟବସାୟ ଉପଯୋଗୀ, ଖାଦ୍ୟ ଉପଯୋଗୀ, ପରିଷ୍କାର, ସୁଖିଲା, ସମକିସମ ଏବଂ ସମ ଆକାରରେ ହୋଇଥିବା ଆବଶ୍ୟକ । ମୁଖ୍ୟତଃ ପୋକରା, ଦୁର୍ଗନ୍ଧ ଓ ବିଶାକ୍ତ ପଦାର୍ଥ ମୁଖ ଧାନ ହୋଇଥିବା ଆବଶ୍ୟକ ବୋଲି ସୁଚନା ଦିଆଯାଇଛି । ଉକ୍ତ ଧାନ ମଣ୍ଡି ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ବଳବତର ରହିବ । ବିନା ଟୋକନରେ ମଣ୍ଡିକୁ ଧାନ ନଆଣିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଡ.ପୋମା ଟୁଡୁ ସଚେତନତା ରଥକୁ ଉଦଘାଟନ କରିଛନ୍ତି । ଉକ୍ତ ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ବୁଲି ଚାଷୀମାନଙ୍କୁ ସଚେତନତା କରାଇବ ।

Related posts