ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସୁରେଶ ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ମାନନୀୟା ବାଚସ୍ପତି, ଓଡ଼ିଶା ବିଧାନ ସଭା ସୁରମା ପାଢ଼ୀ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ,ଦଶପଲ୍ଲା  ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ବିଷ୍ନୁପ୍ରିୟା ବେହେରା, ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଯୁଗ୍ମ ନିର୍ଦେଶକ ବିଦ୍ୟାଧର ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ରଥ ଉପସ୍ଥିତ ଥିବା ସମସ୍ତ ଜନ ପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଏହି ଯୋଜନା କମିଟିର ମୁଖ୍ୟ ଉଦ୍ଦେଶ୍ୟ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ୨୦୨୪-୨୫, ୨୦୨୫-୨୬ ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଲ୍ଲା ଯୋଜନା ଖସଡ଼ାକୁ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇ ଆଲୋଚନା ଓ ଅନୁମୋଦନ କରାଯିବା ସହ ଜିଲ୍ଲାର ଲୋକମାନଙ୍କ ଆବଶ୍ୟକତା, ସ୍ଥାନୀୟ ସମ୍ବଳକୁ ଗୁରୁତ୍ୱ ଦିଆଯାଇ ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଏହି ଯୋଜନାରେ ବିଶେଷ କରି ରାସ୍ତାଘାଟ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, କୃଷି, ମହିଳା ଓ ଶିଶୁ ବିକାଶ, ଗ୍ରାମାଞ୍ଚଳ ଭିତ୍ତି ଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। 

ଏହା ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ ଜିଲ୍ଲାର ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି  ମାନନୀୟ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ ବିଭିନ୍ନ ଯୋଜନା ଗୁଡିକ କେବଳ କାଗଜରେ ସୀମିତ ନ ରହି ଏହାର ସୁଫଳ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ଏବଂ ସମାଜର ଶେଷ ଧାଡ଼ିରେ ଥିବା ମଣିଷ ପାଖରେ ପହଞ୍ଚିବା ଦରକାର ବୋଲି କହିଥିଲେ।

ଏହା ପରେ ମାନନୀୟ ବିଧାୟକ  ଦଶପଲ୍ଲା ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଜିଲ୍ଲାର ପ୍ରକୃତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବଳ ଏବଂ ବଜେଟର ‘ଇକ୍ୱିଟେବଲ୍ ଡିଷ୍ଟ୍ରିବ୍ୟୁସନ୍’ ଉପରେ ଗୁରୁତ୍ୱ ଦିଆଯିବା ଦରକାର ଯାହାଦ୍ୱାରା ପଛୁଆ ଅଞ୍ଚଳ ଓ ଲୋକମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ।

ଏହା ପରେ ମାନନୀୟ ବିଧାୟକ, ନୟାଗଡ଼ ଶ୍ରୀ ସାହୁ ନିଜ ଅଭିଭାଷଣରେ ଜିଲ୍ଲାର ଆବଶ୍ୟକତା ଓ ସମ୍ବଳ ଆକଳନ,ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶରେ ସନ୍ତୁଳନ,କୃଷି ଓ ଜଳସେଚନର ଉନ୍ନତି, ମାତୃମୃତ୍ୟୁ ଏବଂ ଶିଶୁମୃତ୍ୟୁ ହ୍ରାସ କରିବା ସହିତ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବିକାଶ ଦିଗରେ ଆଲୋକ ପାତ କରିଥିଲେ।

ଏହା ପରେ ମାନନୀୟା ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ବକ୍ତବ୍ୟରେ ଜିଲ୍ଲାର ଶିଳ୍ପାଞ୍ଚଳ ଅଭାବକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଯୁବକମାନଙ୍କୁ ଆତ୍ମନିଯୁକ୍ତି ଦେବା ଏବଂ ମାଆ ଓ ଭଉଣୀମାନଙ୍କୁ ଉତ୍ପାଦିକା ଗୋଷ୍ଠୀରେ ପରିବର୍ତ୍ତନ, ଗମନା ଗମନ ର ସୁବିଧା ଆଦି ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହା ପରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ଅଭିଭାଷଣରେ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ଜଳସେଚନ ବ୍ୟବସ୍ଥାର ଉନ୍ନତି, ଜିଲ୍ଲାର ନିଜସ୍ୱ ସମ୍ବଳର ଅଭାବ ଥିଲେ ମଧ୍ୟ ସରକାରୀ ଅନୁଦାନ ଏବଂ ପ୍ରଶାସନିକ କ୍ଷମତାର ସର୍ବୋତ୍ତମ ଉପଯୋଗ କରି ଆତ୍ମନିର୍ଭରଶୀଳ ହେବା ସହ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି ନିଷ୍ଠା ଓ ସଚ୍ଚୋଟତାର ସହ କାମ କରିବାକୁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ।

ଏହାପରେ ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, କୃଷି ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି ଏବଂ ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରର ଉନ୍ନତି ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଲୋଡ଼ି ଥିଲେ ଏବଂ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୮୧୪୬୭ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ସ୍ୱାଇଁ ନିଜ ଭାଷଣରେ  ପରି ପ୍ରକାଶ କରିଥିଲେ।

ଏହି ବୈଠକରେ ଜିଲ୍ଲା ଯୋଜନା କମିଟିର  ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଵିଡିଓ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ ଧନ୍ୟବାଦ ଅର୍ପଣ  କରିବା ପରେ ସଭା ସାଙ୍ଗ କରାଯାଇଥିଲା।

Related posts