ନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ (ଆଇଏଏସ୍) ଓ ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦନ କୁମାର ରଥ ମଙ୍ଗଳବାର ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ସେମାନେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା; ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ହାଇଅର ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟ, ମହୀପୁର; ପିଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ ଆର୍‌ସି ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡ଼ା ଆଦି ପରିଦର୍ଶନ କରିଥିଲେ।

ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟଣ ଉପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଏଥିପାଇଁ ଅନ୍ୟ ବିଭାଗଗୁଡ଼ିକ ସହ ସମନ୍ୱୟ ଓ ସହଯୋଗ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ।

ପରିଦର୍ଶନ ସମୟରେ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲୁଥିବା ଦେଖିବାକୁ ମିଳିଥିଲା। ଖେଳାଧାରିତ ଶିକ୍ଷା ପ୍ରଣାଳୀ ସହ ଟିଚିଂ–ଲର୍ଣ୍ଣିଂ ମେଟେରିଆଲ୍‌ (ଯାଦୁ ପେଟି)ର ବ୍ୟାପକ ବ୍ୟବହାର ହେଉଥିବା ଦେଖି ଶ୍ରୀମତୀ ରାଉତ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ସମସ୍ତ ବିଦ୍ୟାଳୟରେ ଶିକ୍ଷଣ ସୋପାନ ରେଜିଷ୍ଟର ରଖାଯାଇଥିବା ସହ ପାଠନ ଅଭିଯାନ ଓ ରିମେଡିଆଲ୍‌ ସହାୟତା କାର୍ଯ୍ୟକ୍ରମ ସକ୍ରିୟ ଭାବେ କାର୍ଯ୍ୟକାରୀ ହେଉଥିବା ସେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ସମେତ ନୂଆଗାଁ ଓ ଗଣିଆ ବ୍ଲକ୍‌ର ବ୍ଲକ୍‌ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ।

Related posts