ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ପ୍ରମୂଖ ସାମିଲ ହୋଇଥିଲେ ।
ନୟାଗଡ଼ ଖେଳପଡ଼ିଆଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସରକାରଙ୍କୁ ଟାର୍ଗେଟ କରିବା ସହ ଚାଷୀଙ୍କ ପ୍ରତି ଅବହେଳା ଚରମ ସ୍ଥିତିରେ ପହଞ୍ଚିଥିବା କହିଥିଲେ । ରାଜ୍ୟରେ ନାରୀ ଅସୁରକ୍ଷିତ । ସରକାରଙ୍କ ବେପରୁଆ ନୀତିକୁ ତୀବ୍ର ନିନ୍ଦା କରିଥିଲେ ।

ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ, କଲେଜରେ ଛାତ୍ରୀ, ଯୁବତୀ, ମହିଳା ସମସ୍ତେ ଅସୁରକ୍ଷିତ ବୋଲି କହିଥିଲେ। ସମସ୍ତଙ୍କ ମନରେ ଏହାକୁ ନେଇ କ୍ଷୋଭ ଓ ଦୁଃଖ । ମା ଆଜି ଅସୁରକ୍ଷିତ, ଚାଷୀ ମଧ୍ୟ ସୁରକ୍ଷିତ ନୁହେଁ ବୋଲି କହିଥିଲେ। ସରକାର ଇସ୍ତାହାର ପ୍ରତିଶ୍ରୁତି ପାଳନ କରି ପାରୁ ନାହାଁନ୍ତି। ଅଧା ଚାଷୀ ଧାନ ବିକ୍ରି କରି ପାରୁ ନାହାଁନ୍ତି। ୪ ମାସ ହେଲା ଭତ୍ତା ମିଳୁନି। ଶହେ ଦିନରେ ୩ ହଜାର ଭତ୍ତା ଦେବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ।
ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ସରକାରଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ ଆହ୍ବାନ ଦେଇଥିଲେ। ଭାରତୀୟ ଜନତା ପାର୍ଟି କଥା ପାଣିର ଗାର।
ନୟାଗଡ଼ରେ ଜଣେ ବାକ୍ୟବୀର କହିଥିଲେ ଚିନିକଳ ଚାଲିବ, ସେ କଥା କୁଆଡ଼େ ଗଲା ବୋଲି ବରିଷ୍ଠ ବିଜେଡି ଇରାନୀ ରାୟ ପ୍ରଶ୍ନ କରିଥିଲେ। ଚାଷୀଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି ବୋଲି ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଥିଲେ।
ରାଜ୍ୟରେ ଚାଲିଥିବା ସରକାରଙ୍କ ଇଞ୍ଜିନ ଖୋଜିଲେ ମିଳୁନି ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ। ଜିଲ୍ଲାରେ ୭ ରୁ ୧୦ କେଜି କଟଣି, ଛଟନି କରାଯିବାର କାରଣ କଣ ବୋଲି ପ୍ରଶ୍ନ କରିଥିଲେ।

ମହିଳା, ଶିଶୁ, ନାରୀ ନିର୍ୟ୍ୟାତିତ କାହିଁକି ବୋଲି ପ୍ରଶ୍ନ କରିଥିଲେ। ବିନା କାଟେଣି, ଛାଟେଣିରେ ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିବା ସରକାରଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଥିଲେ। ପଞ୍ଜିକରଣ ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଧାନ ବିକିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା କହିଥିଲେ। ସରକାର ରଙ୍ଗ କରିବା ଛଡ଼ା ସରକାର କିଛି କରି ପାରୁ ନାହିଁ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ନଗର ସଭାପତି ଦାଶରଥି ସାହୁ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଆଗ ଧାଡ଼ିର ନେତାମାନେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଖେଳପଡ଼ିଆଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ହଜାର ହଜାର କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ସମସ୍ତେ ଧଷେଇ ପଶିବା ସହ ନାରବାଜି କରିଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
