ମଞ୍ଚସ୍ଥ ହେଲା ସଂସ୍କାରଧର୍ମୀ ନାଟକ “ନିଜ ନିଜର ଆକାଶ”

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ତୃତୀୟ ନାଟକ ଉତ୍ସବରେ ମଞ୍ଚସ୍ଥ ହୋଇ ଯାଇଛି କୈଳାସ ଓଝାଙ୍କ ସଂସ୍କାରଧର୍ମୀ ନାଟକ ‘ନିଜ ନିଜର ଆକାଶ’। ନାଟକର କାହାଣୀରେ ନିଜର ଏକମାତ୍ର ପୁଅ ସୋମେଶର ଭବିଷ୍ୟତ ଗଢ଼ିବା ପାଇଁ ଧାର କରଜ କରି ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ବାସୁଦେବ ଅବସର ଗ୍ରହଣ ପରେ ଆର୍ଥିକ ଅନାଟନର ସମ୍ମୁଖୀନ ହେଉଥିଲା ବେଳେ ବିଦେଶରେ ରହୁଥିବା ସୋମେଶ କିଭଳି ଭାବରେ ବାପା ମାଆଙ୍କୁ ଭୁଲି ଯାଇଥିଲା ତାହାକୁ ନାଟକରେ ପ୍ରଦର୍ଶିତ କରାଯାଇଥିଲା। ଏଭଳି ଏକ ବଳିଷ୍ଠ କାହାଣୀ  ଏବଂ କଳାକାର ମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାବାବେଗରେ ବାନ୍ଧି ରଖିଥିଲା। ନାଟ୍ୟକାର କୈଳାସ ଚନ୍ଦ୍ର ଓଝାଙ୍କ ରଚିତ,  ପ୍ରଶାନ୍ତ କୁମାର ସାମନ୍ତରାୟଙ୍କ ନିର୍ଦ୍ଦେଶିତ ତଥା ପବିତ୍ର ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଏହି ନାଟକରେ ଅଭିନୟ କରିଥିବା ରାମକୃଷ୍ଣ ନାୟକ, ଯାମିନୀକାନ୍ତ ମିଶ୍ର, ସୁଦର୍ଶନ ରାଉତ, ଆକାଶ ରାଉତ, ଶିବାନୀ ଶତପଥୀ ଓ ସୋନାଲି ବେହେରାଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ନାଟକ ଆରମ୍ଭ ପୂର୍ବରୁ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସଭାପତି କିଷାନ୍ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ନାଟ୍ଯଭୂଷଣ ଡ.ବିଜୟ କୁମାର ଚୌଧୁରୀ, ନାଟ୍ଯକାର ବିଶ୍ବନାଥ ମହାପାତ୍ର ଯୋଗଦେଇ ଓଡ଼ିଆ ନାଟ୍ୟ ଜଗତରେ ନୟାଗଡ଼ ତା’ର ସ୍ବତନ୍ତ୍ରତା ବଜାୟ ରଖିଛି ବୋଲି ମତ ରଖିଥିଲେ। ଶେଷରେ ସିରିୟସ୍ ଜୋନର ସଦସ୍ୟ  ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts