ନୟାଗଡ, (ନୟାଗଡ଼ ଦର୍ପଣ): ମତ୍ସ୍ୟ ପାଳନ ଓ ଗୋ ପାଳନ ଗ୍ରାମାଞ୍ଚଳ ସମୃଦ୍ଧିର ଶ୍ରେଷ୍ଠ ପନ୍ଥା ।ଚାଷୀର ଆୟ ବହୁଗୁଣିତ କରିବାରେ ମତ୍ସ୍ୟ ଓ ପ୍ରାଣିପାଳନ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇ ଅନେକ ଯୋଜନା ପ୍ରଣୟନ କରାଯାଉଛି। ପ୍ରତ୍ୟେକ ପରିବାର ଏହି ଚାଷକୁ ପାଥେୟ କରି ଆତ୍ମ ନିର୍ଭର ହୋଇପାରିଲେ ବିକଶିତ ଭାରତ ସ୍ବପ୍ନ ସାକାର ହୋଇପାରିବ ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ୍ ପଡିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ଯେ ନୟାଗଡ଼ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ପାଳନ ଦୃଷ୍ଟିରୁ ଏକ ଉନ୍ନତ ଜିଲ୍ଲା। ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର ସୁଫଳ ନେଇ ନୟାଗଡ଼ ଜିଲ୍ଲାକୁ ରାଜ୍ୟର ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ସେ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ। ମାଛ ଓ ଦୁଗ୍ଧକୁ ମୂଲ୍ୟଯୁକ୍ତ କରି ପାରିଲେ ଏହା ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସେ ମତ ରଖିଥିଲେ।

ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ନୟାଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖାଟୋଇ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ ବସନ୍ତ କୁମାର ବେହେରା ଓ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ। ଏହି ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଦେଢ଼ ହଜାର ମତ୍ସ୍ୟଚାଷୀ ଓ ପ୍ରାଣି ପାଳକ ଯୋଗ ଦେଇଥିଲେ। ମତ୍ସ୍ୟ ଓ ପ୍ରାଣିବିଜ୍ଞାନୀ ଓ ଚାଷୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମତ୍ସ୍ୟ ବିଜ୍ଞାନୀ ଡ ସୌମେନ୍ଦ୍ର ନନ୍ଦ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ ମଧୁସୂଦନ ସାହୁ। ଚାଷୀ ମାନେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଚାରି ଜଣ ସଫଳ ମତ୍ସ୍ୟଚାଷୀ ଓ ପ୍ରାଣୀ ପାଳକ ତଥା ମହିଳା ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କିଛି ଚାଷୀଙ୍କୁ ସେମାନଙ୍କ ନୂତନ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି ମେଳାରେ ମତ୍ସ୍ୟ ତଥା ପ୍ରାଣିପାଳନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଜାତିର ମାଛ, ଗାଈ, ଘୁଷୁରି, କୁକୁଡ଼ା ଓ ଛେଳିର ପ୍ରଦର୍ଶନ ସହ ବାୟୋଫ୍ଲାକ, ସମନ୍ୱିତ ମାଛ ଚାଷ, ଜଳଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ମାଛଚାଷ ଆଦି ଆଧୁନିକ ମତ୍ସ୍ୟ ପାଳନର ଲାଇଭ ମଡେଲ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ତିରିଶଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
