ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ନିୟମିତ ଉପସ୍ଥିତି, ଶିକ୍ଷା ପ୍ରତି ରୁଚି ତଥା ଆତ୍ମବିଶ୍ୱାସ ବୃଦ୍ଧି,ଭବିଷ୍ୟତ ପାଇଁ ପ୍ରସ୍ତୁତି, ନକାରାତ୍ମକ ପ୍ରବୃତ୍ତି ହ୍ରାସ ଏବଂ ଭଲ ଆଚରଣ ଗଠନ ପାଇଁ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଭବ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ‘ପ୍ରେରଣା’ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଯୋଗଦାନ କରି ପିଲାମାନେ କିପରି ଭଲ ମଣିଷ ହୋଇ ଭବିଷ୍ୟତରେ ନିଜର ରୁଚି ଓ ଦକ୍ଷତା ଅନୁଯାଇ କ୍ୟାରିୟର ଗଠନ କରି ପାରିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଏବଂ ଲକ୍ଷ୍ମୀଧର ସାହୁ ପିଲାମାନଙ୍କୁ ଭବିଷ୍ୟତ ପ୍ରସ୍ତୁତି ଏବଂ ଭଲ ଆଚରଣ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷୟିତ୍ରୀ ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ, ଭବାନୀ କୁମାରୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ ଏବଂ ସ୍ଵାଗତିକା ଦଳେଇ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୁ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

