ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଜଣେ ସୁଦକ୍ଷ ନାଟ୍ୟ ସଂଗଠକ, ନାଟ୍ୟକାର, ନାଟ୍ୟ ଅଭିନେତା ତଥା ସମାଜସେବୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ମହାପାତ୍ର ସମଗ୍ର ନୟାଗଡ଼ ଅଞ୍ଚଳରେ ମି.କାଳିଆ ଭାବେ ସମସ୍ତଙ୍କ ନିକଟରେ ଅତି ପରିଚିତ। ତାଙ୍କରି ପ୍ରଚେଷ୍ଟାରେ ନୟାଗଡ଼ ସହରରେ ପ୍ରତ୍ୟେକ ବର୍ଷ ନାଟ୍ୟଧାରା ପକ୍ଷରୁ ନାଟକ ସପ୍ତାହ ପାଳନ କରାଯାଉ ଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନାଟ୍ୟ ସଂସ୍ଥା ମାନେ ଯୋଗଦାନ କରି ନାଟକ ପରିବେଷଣ କରିଥାନ୍ତି। ଅନ୍ୟ ପକ୍ଷରେ ଜଣେ ସମାଜସେବୀ ଭାବରେ ବର୍ତ୍ତମାନ ନୟାଗଡ଼ ମୁନିସିପାଲିଟିର ୭ନଂ କାଉନସିଲର ଭାବେ କାର୍ଯ୍ୟରତ ଅଛନ୍ତି।
ବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା
