ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକଙ୍କ ନ୍ୟାୟସଙ୍ଗତ ଦାବି ନେଇ ବ୍ୟାପକ ଓ ଶକ୍ତିଶାଳୀ ଟ୍ରେଡ୍ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆଜି ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ସିଟୁ ଜିଲ୍ଲା ସମ୍ମିଳନୀରେ ଶ୍ରମିକ ମୁଖିଆମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶ୍ରମିକ ଶ୍ରେଣୀର ସ୍ଵାର୍ଥ ଲାଗି ପାଚିକା ସହାୟିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରଭୃତି ସ୍କିମ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି ନିଯୁକ୍ତିକୁ ସ୍ଥାୟୀ କରିବା, ସର୍ବନିମ୍ନ ମାସିକ ବେତନ ୨୬ହଜାର ଟଙ୍କା ଓ ଅବସର ଭତ୍ତା ୧୦ହଜାର ଟଙ୍କା କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ପୂର୍ବପରି ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବାକୁ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର ଲାଲ୍ ପତାକା ଉତ୍ତୋଳନ କରିବା ପରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ। କେନ୍ଦ୍ର ମୋଦି ସରକାରର ଶ୍ରମିକ କୃଷକ ବିରୋଧୀ କ୍ରମାଗତ ପଦକ୍ଷେପର ଦୃଷ୍ଟାନ୍ତ ଦେଇ ନୟାଗଡ଼ ଜିଲ୍ଲାର ପ୍ରତି ପଞ୍ଚାୟତରେ ସଂଗଠନର ପ୍ରସାର କରିବା ପାଇଁ ଶ୍ରୀ ଦାସ ଆହ୍ଵାନ ଦେଇଥିଲେ।

ସିଟୁ ନେତା ଶରତଚନ୍ଦ୍ର ବେହେରା, ଜୟନ୍ତୀ ଦାଶ,ମଙ୍ଗୁଳୀ ରାଉତ, ଚାପଧାରୀ ରାଉତଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ। ବରିଷ୍ଠ ସଂଗଠକ ସୁରେଶ ଚନ୍ଦ୍ର ସ୍ଵାଇଁ ଉପସ୍ଥାପନ କରି ଥିବା କାର୍ଯ୍ୟ ରିପୋର୍ଟ ଉପରେ ବିଭିନ୍ନ ବ୍ଳକର ପ୍ରତିନିଧି ସାଥୀମାନେ ଆଲୋଚନା କରି ଏହାକୁ ସମୃଦ୍ଧ କରିଥିଲେ। ଭ୍ରାତୃପ୍ରତିମ ୟୁନିଅନର ପ୍ରତିନିଧି ରୂପେ କୃଷକ ସଭା ପକ୍ଷରୁ ହରିଶ୍ଚନ୍ଦ୍ର ମିଶ୍ର, କ୍ଷେତ ମଜଦୂର ପକ୍ଷରୁ ନିତ୍ୟାନନ୍ଦ ପରିଡା, ଯୁବଫେଡେରେସନ ପକ୍ଷରୁ ସରୋଜ କୁମାର ନାୟକ ସମ୍ମିଳନୀର ସଫଳତା କାମନା କରି ବାର୍ତ୍ତା ରଖିଥିଲେ। ସିଆଇଟିୟୁର ଅନ୍ୟତମ ରାଜ୍ୟ ନେତା ଲୋଭାକାନ୍ତ ସ୍ଵାଇଁ ଉଦ୍ ଯାପନୀ ବକ୍ତବ୍ୟରେ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଶ୍ରମିକ ସଂଗଠକ ଶରତଚନ୍ଦ୍ର ବେହେରା ଆବାହକ ଓ ଗୋଲକ ବିହାରୀ ମୁଦୁଲି କୋଷାଧ୍ୟକ୍ଷ ଥାଇ ଏକୋଇଶି ଜଣିଆ ଜିଲ୍ଲା ସାଂଗଠନିକ କମିଟି ଗଠନ କରାଯାଇଛି। ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, କାଳନ୍ଦୀ ଭାଇ ପ୍ରମୁଖ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ।
