୧.୪ଲକ୍ଷ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଏବଂ ୯ହଜାର ସ୍ୱତନ୍ତ୍ର ଶିକ୍ଷକ ଆଶାୟୀ ନ୍ୟାୟ ଅପେକ୍ଷାରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୯ ଅଗଷ୍ଟ ୨୦୨୫ ତାରିଖରେ ଜାରିକରିଥିବା ଆଦେଶରେ ପୁନର୍ବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର କୋର୍ଟ ୯ସେପ୍ଟେମ୍ବର ୨୦୨୫ ଅପରାହ୍ନ ୨ଟାରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଦେଶ ପାଳନରେ ବିଳମ୍ବ କିମ୍ବା ଅନାଦର କଲେ ଗଭୀର ପରିଣାମ ହେବା ସହିତ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଓଡିଶାର ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ରିଷ୍ଟି ଅଗ୍ନିହୋତ୍ରୀ ସୁପ୍ରିମକୋର୍ଟ ମାମଲା ପରିଚାଳନା କରିବା ସହ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଉକ୍ତ ମାମଲାକୁ ତଦାରଖ କରୁଛନ୍ତି।
ସୂଚନା ଥାଉ କି ଓଡିଶାରେ ପ୍ରାୟ ୬୪ହଜାର ସାଧାରଣ ବିଦ୍ୟାଳୟରେ ୧.୪ ଲକ୍ଷ ବିଶେଷ ଆବଶ୍ୟକ ରଖୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ନାମ ଲେଖିଛନ୍ତି କିନ୍ତୁ ଏହି ସମସ୍ତଙ୍କ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଶିକ୍ଷକ ଆଜି ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହାନ୍ତି। ଅନ୍ୟପକ୍ଷରେ ପ୍ରାୟ ୯ହଜାର ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ପ୍ରାପ୍ତ ଡିପ୍ଲୋମା ଏବଂ ବି.ଇଡ଼ି ପ୍ରାର୍ଥୀ ନିଯୁକ୍ତି ପାଇଁ ଅପେକ୍ଷାରତ ଅଛନ୍ତି।

ଓଡିଶା ସ୍ପେସିଆଲ ଏଜୁକେଟର ଫେଡେରେସନ ଫର ଦିବ୍ୟାଙ୍ଗ (ଓଏସଇଏଫଡ଼ି)ର ସଭାପତି ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି ଯେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ରାଜ୍ୟ ସରକାରଙ୍କର ଏକ ଆଇନଗତ କର୍ତ୍ତବ୍ୟ ଏବଂ ଯଥାଶୀଘ୍ର ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାୟୀ ଭାବରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଉ। ସଂଘର ସମ୍ପାଦକ ଆୟୁଷ୍ମାନ ଚୌଧୁରୀ କହିଛନ୍ତି ଯେ ଆବଶ୍ୟକୀୟ ସମ୍ପୂର୍ଣ୍ଣ ପଦବୀକୁ ଗୋଟେ ଥରରେ ପୂର୍ଣ୍ଣ କରାଗଲେ ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶୈକ୍ଷିକ ଉନ୍ନତି ହେବା ସହ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଏବଂ ବିକଶିତ ଭାରତ ବିକଶିତ ଓଡିଶା ଗଢ଼ି ତୋଳିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

Related posts