ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ ତିନି ଶିକ୍ଷକ, ପ୍ରଶଂସା ସାଉଁଟିଲେ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ କୁମାରୀ ରଞ୍ଜୁ ମାଝି ଅନ୍ତେବାସୀ ଭାବେ ରହି ଆସୁଥିଲେ। ଛାତ୍ରୀ ଜଣଙ୍କ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୧ତାରିଖ ରାତ୍ର ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ, ଛାତ୍ରୀ ଜଣଙ୍କର ରକ୍ତ ଅଭାବ ଅଛି ତୁରନ୍ତ ‘ଓ’ ପଜେଟିଭ ବ୍ଲଡ ଦରକାର। ଏହି ଜରୁରୀ ସୂଚନାକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ନୟାଗଡ଼    ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ସୂଚନା ପାଇବା ପରେ ସ୍ବତଃପ୍ରବୃତ୍ତ ଭାବେ କଲ୍ୟାଣ ବିଭାଗର ତିନିଜଣ ଶିକ୍ଷକ ଯଥା ମାଳିବେରେଣୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ପ୍ରମୋଦ କୁମାର ନାୟକ, ଗୋହିରବାଦୁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ ଏବଂ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶରତ କୁମାର ସାହୁ ଛାତ୍ରୀଙ୍କ ପାଇଁ ରକ୍ତଦାନ କରିଛନ୍ତି।
ଏହି ମହତ କାର୍ଯ୍ୟ ପାଇଁ ରକ୍ତଦାନ କରିଥିବା ଶିକ୍ଷକମାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Related posts