ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ନୂତନ ବର୍ଷରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ଅତିଥି ଶିକ୍ଷକଙ୍କ ଶିକ୍ଷା, ଶିଳ୍ପ ପରିଭ୍ରମଣ ଓ ଛାତ୍ରଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି।
ପ୍ରଧାନ ଶିକ୍ଷକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ବେକାରୀ ସମସ୍ୟା ନିଶ୍ଚିତ ଦୂର ହେବା ସହ ଜଣେ ଶିକ୍ଷାର୍ଥୀ ଭବିଷ୍ୟତରେ ଭଲ ଭାବରେ ରୋଜଗାରକ୍ଷମ ହୋଇପାରିବ ବୋଲି କହିଛନ୍ତି। ତତ୍ ସହିତ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଅଧିକ ସୁଯୋଗ ଦେଲେ ସେମାନେ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅଧିକରୁ ଅଧିକ ଉନ୍ନତି କରିପାରିବେ ବୋଲି ନିଜର ମତ ରଖିଛନ୍ତି। ଉକ୍ତ ବୈଠକରେ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଉପଦେଷ୍ଟା ପ୍ରଜ୍ଞା ପାରମିତା ସାହୁ, ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ର, ଇଲେକ୍ଟ୍ରୋନିକ୍ସ ପ୍ରଶିକ୍ଷକ ଗୌରାଙ୍ଗ ସାହୁ ଓ କ୍ରୀଡ଼ା ପ୍ରଶିକ୍ଷକ ଦାମୋଦର ସାହୁ, ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ାଙ୍କ ସହିତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ସମସ୍ତ ଅଭିଭାବକଙ୍କ ମତାମତ ସହ ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଛନ୍ତି।