ନୟାଗଡ଼ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ  କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଥଯାତ୍ରା ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବ। ଏଥିରେ ସମସ୍ତେ ସମ୍ମତି ଜଣାଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଦନୁରୂପେ ତାଙ୍କ ଭାଷଣ ରଖିଥିଲେ ।

ଏହା ପରେ ପୂର୍ବ ବର୍ଷର କାର୍ଯ୍ୟସୂଚୀ ଅନୁଯାୟୀ ବୈଠକରେ ଆଲୋଚନା କରାଯାଇଥିଲା। ପୂର୍ତ୍ତ ବିଭାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିନିଗୋଟି ରଥ ନିର୍ମାଣ କରାଯିବା ସହ ଏହା ଦୁଇ ଦିନ ଧରି ରଥ ଟଣାଯିବାର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଶ୍ରୀ ବଳଦେବଜୀଉଙ୍କ ତାଳଧ୍ୱଜ ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିବା ସହ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶ୍ରୀ ଜଗନ୍ନାଥଜୀଉଙ୍କ ନନ୍ଦିଘୋଷ ରଥ ଟଣାହୋଇ ଯଥାକ୍ରମେ ଶ୍ରୀ ହନୁମାନ ମନ୍ଦିର ଓ ନବଲାଲ ମଠ ପାଖାପାଖି ରଖାଯିବାର ବ୍ୟବସ୍ଥା ଅଛି । ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ ରଥ ଟଣାଯିବା ପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନ୍ ଶୃଙ୍ଖଳା ତଦାରଖ ପାଇଁ ପୋଲିସ ମୁତୟନ କରାଯିବା ସହ ସ୍ୱେଚ୍ଛାସେବୀ, ଏନ.ସି.ସି. ଓ ଜାତୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କ ସହାୟତା ନିଆଯିବା ପାଇଁ ସ୍ଥିର କରାଗଲା । ସେବାୟତ ଓ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଟି-ସାର୍ଟ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର କରାଗଲା । ରୋଷେଇଘରର ମରାମତି ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ନୟାଗଡ଼ ପୌର ପରିଷଦଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା । ଚଳିତ ବର୍ଷ ପାସର ବ୍ୟବସ୍ଥା କରାଯିବ।

ଯେଉଁମାନଙ୍କ ପାଖରେ ପାସ ଥିବ ସେମାନେ ରଥ ଉପରେ ଚଢ଼ିପାରିବେ ବୋଲି ସ୍ଥିର କରାଗଲା । ସେହିପରି ସିସି ଟିଭି ଲାଗିବା ସହ ଡ୍ରୋନ୍ କ୍ୟାମେରାରେ ଫଟୋ ଉତ୍ତୋଳନ କରାଯିବାକୁ ପରାମର୍ଶ ଦିଆଗଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା । ସୂଚନା କେନ୍ଦ୍ରରେ ରଥଯାତ୍ରା ଓ ବାହୁଡ଼ା ଦୁଇଦିନ ଧରି ଧାରାବିବରଣୀ ପ୍ରଚାର ପ୍ରସାର କରାଯିବାକୁ ସ୍ଥିର କରାଗଲା । ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ଆର୍ଥିକ ଅନୁଦାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ରୌଦ୍ରତାପର ହ୍ରାସ ପାଇଁ ଅଗ୍ନିଶମ ବିଭାଗକୁ ପାଣି ସ୍ପ୍ରେ କରିବା ପାଇଁ ପରାମର୍ଶ ଦିଆଗଲା । ଏହି ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଦେବୋତ୍ତର ବିଭାଗ, ସାମ୍ବାଦିକ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦାନ କରିଥିଲେ ।

Related posts