ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ‘ସୃଜନ’ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଉପ ଆରକ୍ଷୀ ଅଧୀକ୍ଷକ ଡୋମେନ ଚରଣ ଟୁଡୁ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ନୟାଗଡ଼ ବିଧାୟକ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ଏହି ରିଭ୍ୟୁ ମିଟିଙ୍ଗ ୩/୪ମାସରେ ଥରେ ହେବା କଥା । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ନୟାଗଡ଼ ସ୍ୱାସ୍ଥ୍ୟ ବିଭାଗର ଆଉଟର ସମସ୍ୟା ଏବଂ ତାର କାରଣ ପଚାରି ବୁଝିଥିଲେ । କେତେ ଡାକ୍ତର ଆବଶ୍ୟକ ଅଛି ତାହାର ଏକ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ତ୍ୱରିତ୍ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟମାନଙ୍କର ଜମି ପଟ୍ଟା ଏବଂ ଅନ୍ୟସବୁ ସମସ୍ୟା ଉପଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି କୃଷି/ଉଦ୍ୟାନ ବିଭାଗ ବିଷୟରେ ବୁଝିଥିଲେ । କୃଷି ବିଭାଗର ପି.ଏମ.କିଷାନ୍ରେ କୃଷକମାନେ ସି.ଏମ. କିଷାନ୍ ତୁଳନାରେ ବହୁତ କମ ଉପକୃତ ହେଉଥିବାର କାରଣ ପଚାରି ବୁଝିଥିଲେ । ଡି.ଆର.ସି.ଏସ.ଙ୍କୁ ନୟାଗଡ଼ ଜିଲ୍ଲାର ମଣ୍ଡି ବିଷୟରେ ବୁଝିଥିଲେ । ସେହିପରି ମତ୍ସ୍ୟ ବିଭାଗର ମାଛଚାଷ ସମସ୍ୟା ଏବଂ ତାହାର ଉତ୍ପାଦନ ହ୍ରାସ ପାଇବା ବିଷୟରେ ଆଲୋଚନା କରାଯାଇଥିଲା । ସି.ଡି.ଭି.ଓ.ଙ୍କୁ ଗାଈ, ଘୁଷୁରି, ଛେଳି, ଠେକୁଆ ଚାଷ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କର ଭତ୍ତା ବିଷୟରେ ପଚାରି ବୁଝିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୁଆନ୍ତ ବ୍ରିଜ୍ କାମ, କଲ୍ୟାଣ ମଣ୍ଡପ କାମ ଏବଂ ଜଙ୍ଗଲ ବିଭାଗକୁ “ବରକନ୍ୟା” ପ୍ରକଳ୍ପ ଟୁରିଷ୍ଟ ସ୍ପଟ୍ ବିଷୟରେ ପଚାରି ବୁଝିଥିଲେ ।

ପରେ ପରେ ଅନ୍ୟାନ୍ୟ ବିଭାଗ ଯଥା-ଜଳସେଚନ ବିଭାଗ, ବିଦ୍ୟୁତ୍ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ମିଶନ ଶକ୍ତି, ଏମ.ପି.ଲ୍ୟାଡ୍, ଓଡ଼ଗାଁ ଏନ.ଏ.ସି., ଅବକାରୀ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଆର.ଏମ.ସି., ଜନସ୍ୱାସ୍ଥ୍ୟ,କ୍ରୀଡ଼ା ବିଭାଗ, ଉଠା ଜଳସେଚନ ବିଭାଗ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଶେଷରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ସବୁର ତ୍ୱରିତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସେ ନିଜେ ମଧ୍ୟ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ମତାମତ ରଖିଥିଲେ ଓ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।