ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ପୂଣ୍ୟ ଜନ୍ମତିଥିରେ ଆଇନଜୀବୀ ଦିବସ ପାଳନ କରିଛି ନୟାଗଡ ଜିଲ୍ଲା ଓକିଲ ସଙ୍ଘ। ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଜଜ ଆନନ୍ଦ ନାରାୟଣ ମହାରଣା, ସ୍ୱତନ୍ତ୍ର ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ବାଣ୍ଠ, ଅର୍ଥନୀତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ ଏବଂ ଯୁବ ଅଧ୍ୟାପକ ଆଶୁତୋଷ ମିଶ୍ର, ସଂଘର ସମ୍ପାଦକ ସ୍ବଦେଶ ମିଶ୍ର ପ୍ରମୁଖ ମଧୁବାବୁଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଅଭିହିତ କରିଥିଲେ। ଦେଶ ସ୍ୱାଧୀନତା ପୂର୍ବରୁ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ପ୍ରଦାନ କରି ଭାଷା ଭିତ୍ତିରେ ଉତ୍କଳ ପ୍ରଦେଶ ଗଠନ କରି ଓଡ଼ିଆ ଜାତିର ନିଜସ୍ୱ ପରିଚୟ ସୃଷ୍ଟି କରି ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଥିବା ସ୍ୱାଭିମାନୀ ଓଡ଼ିଆଙ୍କୁ ଏ ଜାତି ସବୁଦିନ ମନେ ରଖିବ ବୋଲି କହି ମଧୁବାବୁଙ୍କୁ ସତକୋଟି ପ୍ରଣାମ କରିଥିଲେ।

ମଧୁବାବୁଙ୍କ ବିଚାରଧାରା ଉପରେ ଆୟୋଜିତ ଓଡ଼ିଆ ଇଂରାଜୀ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ଜିଲ୍ଲା ଜଜ ଶ୍ରୀଯୁକ୍ତ ମହାରଣା ପୁରସ୍କୃତ କରିଥିଲେ। ସ୍ୱତନ୍ତ୍ର ବକ୍ତା ଥିବା ଅଧ୍ୟାପକଙ୍କ ସମେତ ରୋଟାରୀ କ୍ଲବ ସମ୍ପାଦକ ଅବିନାଶ ସାହୁଙ୍କୁ ଜିଲ୍ଲା ଜଜ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ ଜିଲ୍ଲା ଜଜ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବାହ୍ନରେ ପୁରୁଣା ସିଭିଲ କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଜଜ ଏବଂ ଓକିଲ ସଙ୍ଘର କାର୍ଯ୍ୟକର୍ତାମାନେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଚାରପତି ଗଣଙ୍କ ସମେତ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ। ସଙ୍ଘର ଉପସଭାପତି ସନ୍ତୋଷ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
