ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍ ନମାଜ ପାଠ କରାଯାଏ। ବିଶିଷ୍ଟ କୁରାନ୍ ବିଶାରଦ ମୌଲାନା ଅଞ୍ଜର୍ ମାସତମାମ ତରାୱି ନମାଜ ପାଠ କରାଇଥିଲେ। ମୁସଲମାନ୍ ଅଧିବାସୀ ମାନେ ଏହି ମାସରେ ଅଧିକ ରୁ ଅଧିକ କୁରାନ୍ ପାଠ କରିବା ସହିତ ନିଜକୁ କୁକର୍ମ ଠାରୁ ଦୂରେଇ ରଖି ପର ଉପକାର ତଥା ଅସହାୟମାନଙ୍କୁ ଦାନଧର୍ମ ବହୁଳ ପରିମାଣରେ କରିଥାନ୍ତି। ବଳକା ଅର୍ଥ ଓ ସୁନାରୁପାର ପ୍ରତିବଦଳରେ ପ୍ରତି ଶହେ ଟଙ୍କାରେ ଅଢେ଼ଇ ଟଙ୍କା ଜକାତ୍ ଓ ମୁଣ୍ଡ ପିଛା ଏକ ଶହ ଟଙ୍କା ଫିତରା ଆକାରରେ ଅସହାୟ ବ୍ୟକ୍ତିଙ୍କୁ ଇଦ୍ ନମାଜ ପାଠ ପୂର୍ବରୁ ଦାନ କରିବା ବାଧ୍ୟତା ମୂଳକ ଅଟେ। ଏହି ପୁଣ୍ୟ ମାସରେ ବିଶ୍ଵଶାନ୍ତି, ମାନବ ସଭ୍ୟତାର ସ୍ଥାୟୀତ୍ବ, ସଦଭାବନା ଓ ସମାଜରେ ଭାଇଚାରା ପାଇଁ ଆହ୍ଲାଙ୍କୁ ପ୍ରାର୍ଥନା କରାଯାଇଥାଏ। ଆଜିର ମୁଖ୍ୟ ଇଦ୍ ନମାଜରେ ଇସ୍ରାଏଲ-ପାଲେଷ୍ଟାଇନ ଓ ୟୁକ୍ରେନ-ରସିଆ ଯୁଦ୍ଧ ବନ୍ଦ୍ ସହିତ ଆମ ଦେଶର ହିନ୍ଦୁ – ମୁସଲିମ ଭାଇଚାରାରେ ସୃଷ୍ଟି କରାଯାଉଥିବା ଅସ୍ଥିରତା ଓ ବିଭେଦ ଦୂର ହୋଇ ଶାନ୍ତି ପ୍ରତିଷ୍ଠା ଉପରେ ମଧ୍ୟ ଆହ୍ଲାଙ୍କ ନିକଟରେ ନମାଜ ପରେ ପରେ ଦୁଆ (ବିଶେଷ ପ୍ରାର୍ଥନା) କରଯାଇଥିଲା। ଆଜିର ଜିଲ୍ଲାସ୍ତରୀୟ ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ .ଦେବାଶିଷ ପଟ୍ଟନାୟକ ଓ କଂଗ୍ରେସ ଜିଲ୍ଲା ସଭାପତି ରଞ୍ଜିତ ଦାଶ ପ୍ରମୁଖ ଯୋଗଦେଇଥିବା ବେଳେ ଅନେକ ବୁଦ୍ଧିଜୀବୀ ମଧ୍ୟ ଯୋଗଦେଇ ମୁସଲିମ ଭାଇ ମାନଙ୍କୁ ଇଦ୍ ମୁବାରକ୍ ଜଣାଇଥିଲେ। ପରେ ପରେ ଦୂରଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ସ୍ଥାନୀୟ ମସଜିଦରେ ସିନ୍ଦୁରିଆ ଗ୍ରାମବାସୀଙ୍କ ତରଫରୁ ଆତିଥେୟତା ପ୍ରଦାନ କରାଯାଇ ଚର୍ଚ୍ଚା କରଯାଇଥିଲା। ସଭିଁଏ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଥିଲେ। ନୟାଗଡ଼ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଆରକ୍ଷୀ ନିଯୁକ୍ତିକରି ଶାନ୍ତିଶୃଙ୍ଖଳା ତଦାରଖ କରିଥିଲେ। ସେହିପରି ସିନ୍ଦୁରିଆ ବଜାରସ୍ଥିତ ଛୋଟି ମସଜିଦ ପ୍ରାଙ୍ଗଣରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଇଦ୍ ପାଳନ କରିଥିଲେ।
ଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ
