ନୟାଗଡ଼ର ସତ୍ୟନାରାୟଣ ଜାତୀୟ ସ୍ତରୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ପ୍ରଥମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ସ୍ତରରେ ଅନୁଷ୍ଠିତ ୪ର୍ଥ ସର୍ବଭାରତୀୟ ମୁଟ କୋର୍ଟ ବା ଛାୟା ଅଦାଲତ ପ୍ରତିଯୋଗିତାରେ ନୟାଗଡ଼ ମାଟିର ପୁଅ ସତ୍ୟ ନାରାୟଣ ରଥ ବାଜିମାତ କରି ଚାମ୍ପିୟାନସ ଟ୍ରଫି ହାସଲ କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ସୂଚନା ଯୋଗ୍ୟ ଯେ ଶ୍ରୀମାନ ରଥ ବର୍ତ୍ତମାନ ଆଇଆଇଟି ଖଡ଼ଗପୁର ଅଧିନସ୍ଥ ରାଜୀବ ଗାନ୍ଧୀ ସ୍କୁଲ ଅଫ ଇଣ୍ଟେଲେକଚୁଆଲ ଲ’ କଲେଜରେ ଆଇନ ବିଷୟରେ ଅଧ୍ୟୟନ କରୁଛନ୍ତି। ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ, ସିଲିଗୁଡ଼ିଠାରେ ଅନୁଷ୍ଠିତ ଏହି ସର୍ବ ଭାରତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସର୍ବମୋଟ ୮ଟି ଟିମ ଗଠନ କରାଯାଇଥିଲା। ତେବେ ଶ୍ରୀମାନ ରଥଙ୍କ ନେତୃତ୍ୱରେ ଗଠିତ ଟିମ ପ୍ରତିଯୋଗିତାରେ ବାଜିମାତ କରି ଚମ୍ପିୟାନସ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଥିଲେ।

ଜଣେ ମେଧାବୀ ଛାତ୍ର ହିସାବରେ ଶ୍ରୀମାନ ରଥ ନୟାଗଡ଼ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ପରବର୍ତ୍ତୀ ସମୟରେ ଢେଙ୍କାନାଳ ସରାଙ୍ଗ ଇଞ୍ଜିନିୟରିଂ କଲେଜରୁ ବିଟେକ ସମାପ୍ତ କରି ବର୍ତ୍ତମାନ ଆଇଆଇଟି ଖଡ଼ଗପୁରରେ ଆଇନ ବିଷୟରେ ଅଧ୍ୟୟନ କରୁଛନ୍ତି। ସୂଚନାଯୋଗ୍ୟ ଯେ, ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଏବଂ ଜିଲ୍ଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ରଥଙ୍କ ସେ ଏକ ମାତ୍ର ପୁତ୍ର ଅଟନ୍ତି।

Related posts