ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ଆଜି ନୟାଗଡ଼ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବିଜେଡି ପ୍ରବକ୍ତା ନାରୀ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କର୍ମୀଙ୍କ ମନବଳ ବୃଦ୍ଧି କରିଥିଲେ । ମିଛୁଆ ସରକାରଙ୍କୁ ହଟାଇବାକୁ ହେଲେ କର୍ମୀମାନେ ତତ୍ପର ହେବା ଆବଶ୍ୟକ। ଲୋକଙ୍କୁ ମିଛ କହି ଆସିଥିବା ସରକାରଙ୍କର ନିଦ ହଜାଇଦେବା ପାଇଁ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ ଅରୁଣ । ମନରେ ଯୋଶ୍ ଆସିଲେ ମିଛୁଆ ସରକାରଙ୍କ ହୋସ୍ ଉଡିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ସେ ନିଜେ ସଦସ୍ୟତା ଗ୍ରହଣ କରିଥିଲେ । ସଦସ୍ୟତା ଦୁଇ ପ୍ରକାରରେ ଅନୁଷ୍ଠିତ ହେବ । ଡିଜିଟାଲ ମାଧ୍ୟମରେ ହେବା ସହିତ ଘର ଘର ବୁଲି ଫିଜିକାଲି ସଭ୍ୟ ସଂଘ କରିବା ପାଇଁ ପରାମର୍ଶ ଦେଇଥିଲେ । ଜଣେ ବ୍ୟକ୍ତି ସଦସ୍ୟତା ହେବା ସହିତ ସକ୍ରିୟ ସଭ୍ୟ ହେବା ପାଇଁ ୨୫ ଜଣଙ୍କୁ ସଦସ୍ୟତା ଗ୍ରହଣ କରାଇବାକୁ ପଡିବ। ଯେଉଁ ଦଳ ଯେତେ ପରିମାଣରେ ସଭ୍ୟ ସଂଗ୍ରହ କରିଛି ସେ ଦଳ ସେତିକି ଶକ୍ତିଶାଳୀ ହୋଇଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ମତ ଭେଦ ନରଖି ଏକାଠି ଚାଲିବା ପାଇଁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନବୀନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଦୃଢ଼ତାର ସହ କାର‌୍ୟ୍ୟ କରିବା ପାଇଁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦ ବର୍ଷର ଉଜୁଡା ଓଡିଶାକୁ ନବୀନ ପଟ୍ଟନାୟକ ସୁନାର ଓଡିଶା ଭାବେ ଗଠନ କରିଛନ୍ତି । ଆଜିକାର ସରକାର ଏକ ମିସକଲ ସରକାର ଓ ମିଛୁଆ ସରକାର ବୋଲି ସେ ପ୍ରକାଶ କରିଥିଲେ । ନିର୍ବାଚନ ସମୟରେ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି ।

ଭତ୍ତାଠାରୁ ଆରମ୍ଭ କରି ବିଦ୍ୟୁତ, ଓଡିଆ ଅସ୍ମିତା, ସୁଭଦ୍ରା ଯୋଜନା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଦରଦାମ ବୃଦ୍ଧି ଆଦି ସମସ୍ତ କ୍ଷେତ୍ରରେ ଏ ସରକାର ମିଛ କହି ଚାଲିଛନ୍ତି । ମାଙ୍କଡ ହାତରେ ଶାଳଗ୍ରାମ ପରି ଏ ସରକାର ଚାଲିଛି । ଏ ସରକାର ସମସ୍ତ ପ୍ରତିଶୃତି ଭୁଲିଯାଇ କେବଳ ରଙ୍ଗ ବଦଳାଇବା କାମରେ ନ୍ୟସ୍ତ ରହିଛି । ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ଆଜିଠାରୁ ସମସ୍ତ ନେତା ଓ କର୍ମୀ ମାନେ ସଦସ୍ୟତା ଅଭିଯାନକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲା ଯେପରି ସଦସ୍ୟତା ଅଭିଯାନରେ ଏକ ନମ୍ବର ହେବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନାରୀ ନେତ୍ରୀ ଇରାନୀ ରାୟ ବିଜୁ ଜନତା ଦଳକୁ ସକ୍ରିୟ ହେବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସମସ୍ତେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର‌୍ୟ୍ୟକ୍ରମରେ ୮ ଗୋଟି ବ୍ଲକର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ଏନଏସି ଓ ପୈାର ପରିଷଦର ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭା ନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଯୁବ ବିଜେଡି ସଭାପତି ଦୁର‌୍ୟ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ଜିଲ୍ଲା ପରିଷଦ ସୁବାଷ କଅଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବିଜେଡି ଜିଲ୍ଲା ପରିଷଦ ସରପଞ୍ଚ ସମିତି ସଭ୍ୟ ଓ ପ୍ରମୁଖ କର୍ମକତ୍ତା ଯୋଗ ଦେଇଥିଲେ ।

Related posts