ଓଡ଼ିଶା ହକି ସଂଘ ଆୟୋଜିତ ଖେଳରେ ନୈରାଶ୍ୟ ପ୍ରଦର୍ଶନ କଲା ଜିଲ୍ଲା ହକି ଦଳ

ରଣପୁର,(ନୟାଗଡ଼ ଦର୍ପଣ): ୨୦୨୨ ମସିହାରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଦ୍ୱାରା ରଣପୁର ଠାରେ ଉଦ୍ଘାଟନ ହୋଇଥିଲା ଓଡିଶା ନାଭାଲ୍-ଟାଟା ହକି ଗ୍ରାସ ରୁଟ୍ ସେଣ୍ଟର। ସେବେଠୁ ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଥିଲା ହକିର ଯାଦୁ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସର୍ବଦା ଫାଇନାଲ୍ ରାଉଣ୍ଡ୍ ପର୍ଯ୍ୟନ୍ତ ଦଳ ଉତୀର୍ଣ୍ଣ ହେବାର ଯଶ ବଜାୟ ରଖୁଥିଲା। ବିଗତ ଦିନରେ ରଣପୁର ଅଞ୍ଚଳରୁ ଦୁଇଜଣ ଜାତୀୟ ସ୍ତରୀୟ ମ୍ୟାଚ୍ ପରିଚାଳକ, ଜଣେ ଜାତୀୟ ସ୍ତରୀୟ ଖେଳାଳି ଏବଂ ଦୁଇ ଜଣ ନୂତନ କୋଚ୍ ଏବଂ ଜଣେ ରାଜ୍ୟ କ୍ରିଡା ଛାତ୍ରବାସରେ ରହି ପ୍ରଶିକ୍ଷଣ ନେବାର ସୌଭାଗ୍ୟ ଅର୍ଜନ କରିବା ସହ ରଣପୁର ତଥା ସମଗ୍ର ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଥିଲେ।

କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ଟାଟା ଦ୍ୱାରା ଆୟୋଜିତ ଚଉଦ ବର୍ଷରୁ କମ୍ ପୁରୁଷ ପ୍ରତିଯୋଗିତା ଦଳ ଯଥାକ୍ରମେ ୨୦-୦, ୩୨-୦, ୪-୦ ଗୋଲରେ ପରାଜୟ ବରଣ କରିବା ସହ ସଦ୍ୟ ସମାପିତ ରାଜ୍ୟ ହକି ସଂଘ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସବୁ ବର୍ଷ ୬ଗୋଟି ବର୍ଗରେ ଦଳ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏବର୍ଷ ୨ଗୋଟି ବର୍ଗ ବାଦ ପଡିବା ସହ ଦଳ ବିପକ୍ଷ ଦଳ ଠାରୁ ବହୁ ଗୋଲରେ ପରାସ୍ତ ହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ବରିଷ୍ଠ ମହିଳା ଦଳ ସୁନ୍ଦରଗଡ ଠାରୁ ୧୨-୦ ଗୋଲରେ ପରାସ୍ତ ହୋଇଥିବାବେଳେ ଉପକନିଷ୍ଠ ମହିଳା ଦଳ ପ୍ରଥମ ମ୍ୟାଚରେ ସମ୍ବଲପୁର ଠାରୁ ବିଜୟ ଲାଭ କରି ଦେବଗଡ ଠାରୁ ୬-୦ରେ ପଛୁଆ ରହି ପ୍ରଥମ ପର୍ଯ୍ୟାୟ ପରେ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି। ସେହିଭଳି କନିଷ୍ଠ ପୁରୁଷ ବର୍ଗରେ ପ୍ରଥମ ମ୍ୟାଚ୍ ରେ  ବୌଦ୍ଧ ଜିଲ୍ଳା ଠାରୁ ବିଜୟ ଲାଭ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦେବଗଡ଼ ଠାରୁ ୪-୦ରେ ପରାଜୟ ବରଣ କରିଛି। ତତ୍ ସହିତ ଦୁଇଦିନ ତଳେ ହୋଇଥିବା ବରିଷ୍ଠ ପୁରୁଷ ବିଭାଗରେ ମଧ୍ୟ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ବର୍ଷ ତମାମ୍ ଅଭ୍ୟାସ କରିନଥିବା କିଛି ଯୁବକ ଶାସକ ଦଳର ରାଜନୈତିକ ଚାପରେ ଦଳରେ ଖେଳିଥିବାର ନଜର ଆସିଥିଲା। ଫଳରେ ଦଳ ଆଜି ମଧ୍ୟ ଦେବଗଡ ଠାରୁ ୬-୦ ଗୋଲରେ ପରାସ୍ତ ହୋଇ ଚଳିତ ବର୍ଷର ସମସ୍ତ ପ୍ରତିଯୋଗିତାରୁ ନୟାଗଡ଼ ଜିଲ୍ଲାର ରଣପୁର ହକି ଦଳ ନୈରାଶ୍ୟ ପୁର୍ଣ୍ଣ ବିଦାୟ ନେଇଛି। ଯାହାକୁ ନେଇ ଉଭୟ ଖେଳାଳି ଏବଂ ଖେଳ ପ୍ରେମୀ ଖୁବ ନିରୁତ୍ସାହିତ ଅଛନ୍ତି ବୋଲି ଜଣାପଡ଼ିଛି। ଜିଲ୍ଲାର ହକି ଦଳରେ ପରିଚାଳନା ଗତ ତ୍ରୁଟି ତଥା ରାଜନୈତିକ ଚାପକୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ଦାୟୀ କରି ଦୃଢ ନିନ୍ଦା କରିଛନ୍ତି। ଯାହାକି ନୟାଗଡ ଜିଲ୍ଲା  କ୍ରୀଡା ବିଭାଗ ଏ ଦିଗରେ ପ୍ରଯତ୍ନବାନ ହେବାସହ ଆଗାମୀ ଦିନରେ ଦଳ ତାହାର ପୂର୍ବ ଯଶକୁ ଫେରାଇ ଆଣିବାକୁ ପ୍ରଚେଷ୍ଟା ଜାରି ରଖୁ ବୋଲି ବିଭିନ୍ନ କ୍ରୀଡ଼ାପ୍ରେମୀମାନେ ମତ ରଖିଛନ୍ତି।

Related posts