ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପୁଣି ବସିବ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗୁଡୁପାଙ୍ଗି ବନାମ ୧୭ଖଣ୍ଡ ମୌଜାବାସୀଙ୍କ ମଧ୍ୟରେ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଲାଗିଥିବା ବିବାଦର କେବେ ହେବ ଅନ୍ତ। ଉପଜିଲ୍ଲାପାଳଙ୍କୁ ଭେଟିଲେ ୧୭ଖଣ୍ଡ ମୌଜାବାସିନ୍ଦା। ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ୧୭ଖଣ୍ଡ ମୌଜା ଓ ଗୁଡୁପାଙ୍ଗୀ ମଧ୍ୟରେ ବିବାଦକୁ ବହୁ ବର୍ଷ ବିତିଯାଇଥିବା ବେଳେ ଏବେସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନି । କିଛିଦିନ ତଳେ ୧୭ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ୧୫ଦିନ ମଧ୍ୟରେ ପ୍ରଶାସନ ରାସ୍ତା କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହା ମଧ୍ୟରେ ୧୫ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରି ଆଜି ପୁଣି ୧୭ଖଣ୍ଡ ମୌଜା ବାସିନ୍ଦା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ ଭେଟିଛନ୍ତି । ଖୁବଶୀଘ୍ର ଦୁଇ ପକ୍ଷକୁ ଆଲୋଚନା ପାଇଁ ଡାକିବାର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିବା ୧୭ଖଣ୍ଡ ମୌଜାବାସୀ କହିଛନ୍ତି । ପ୍ରଶାସନର ସକରାତ୍ମକ ଆଭିମୁଖ୍ୟ ଜାଣିବା ପରେ ୧୭ଖଣ୍ଡ ମୌଜା ବାସୀ ଖୁସି ପ୍ରକଟ କରିଛନ୍ତି ।

Related posts