ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ବଦଳି ସିଲାବସ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରକାଶିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିକ୍ଷକମାନେ ପର୍ଯ୍ୟାୟ କ୍ରମେ ୫ ଦିନିଆ ଓସିଏଫ ପ୍ରଶିକ୍ଷଣ ନେଉଛନ୍ତି। ତେବେ ଏହି ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଅର୍ଥ ରାଶିକୁ ଶିକ୍ଷା ବିଭାଗର କିଛି କର୍ମଚାରୀମାନଙ୍କ ଦ୍ୱାରା ହଡ଼ପ କରାଯାଉ ଥିବା ଅଭିଯୋଗ ହେଉଛି। ଓସେପା ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମଧ୍ୟାହ୍ନ ଭୋଜନ ପାଇଁ ୧ଶହ ଟଙ୍କା, ଚାହା ବିସ୍କୁଟ ପାଇଁ ୨୦ଟଙ୍କା, ଖାତା କଲମ ପାଇଁ ୩୦ ଟଙ୍କା, କଣ୍ଟିଜେନ୍ସି ପାଇଁ ୨୦ ଟଙ୍କା, ଟିଏଲଏମ ପାଇଁ ୩୦ ଟଙ୍କା, ପ୍ରଶିକ୍ଷକ ମାନଙ୍କ ପାଇଁ ଦୈନିକ ୩ ଶହ ଟଙ୍କା ଏବଂ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଦିନକୁ ୭୦ ଟଙ୍କା ହିସାବରେ ଅନୁଦାନର ବ୍ୟବସ୍ଥା ରହିଛି।
ତେବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସମେତ ନୟାଗଡ଼ ବ୍ଲକରେ ଏହି ଅର୍ଥକୁ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ଶିକ୍ଷକମାନଙ୍କୁ ନଦେଇ ବ୍ଲକ ଶିକ୍ଷା ବିଭାଗର କିଛି ଅଧିକାରୀ ସ୍ଥାନୀୟ ହୋଟେଲ ସହିତ ଯୋଗାଯୋଗ କରି ୫୦/୬୦ ଟଙ୍କାରେ ଅତିନିମ୍ନ ମାନର ଖାଦ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ଶିକ୍ଷକମାନଙ୍କୁ ଦେଉଛନ୍ତି। ସେହିପରି ଚା ବିସ୍କୁଟ ଦିନକୁ ଦୁଇଥର ଦେବାର ବ୍ୟବସ୍ଥା ଥିବାବେଳେ ମାତ୍ର ଥରୁଟିଏ ଅତି ନିମ୍ନ ମାନର ଚାହା ଏବଂ ୫ଟଙ୍କିଆ ବିସ୍କୁଟ ଦିଆଯାଉଛି। ସେହିପରି ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଟିଏଲଏମ ଏବଂ କଣ୍ଟିଜେନ୍ସି ବାବଦ ଅର୍ଥକୁ ସମ୍ପୂର୍ଣ୍ଣ ହଡ଼ପ କରାଯାଉଛି।
ଏନେଇ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଯିବା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ସୂଚନା ଯୋଗ୍ୟ ଯେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଥିବା ବେଳେ ଏହି ବିଭାଗର କିଛି କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଶିକ୍ଷକ ସଂଗଠନ ପକ୍ଷରୁ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର, ବିପିନ ଦାସ, ପୀତବାସ ପ୍ରଧାନ, ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ଶିକ୍ଷାଧିକାରୀ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି।
