ମଡେଲ ଡିଗ୍ରୀ କଲେଜରେ ଇଂରାଜୀ ସମ୍ମାନ ଖୋଲିବା ଓ ଖେଳପଡ଼ିଆ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ ଜିଲ୍ଲାପାଳ ପୃଥକ ଭାବେ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ବହୁବାର ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ଅଦ୍ୟାବଧି ମିଳିପାରିନାହିଁ। ଚଳିତ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଦ୍ୟାବଧି ଏ ସଂକ୍ରାନ୍ତୀୟ କୌଣସି ସୁସ୍ପଷ୍ଟ ସୂଚନା ନମିଳିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ସେହିପରି ମହାବିଦ୍ୟାଳୟରେ ଖେଳପଡ଼ିଆ ନଥିବାରୁ ଛାତ୍ରଛାତ୍ରୀମାନଙ୍କର କୌଣସି ଖେଳକୁଦ କାର୍ଯ୍ୟକ୍ରମ ହୋଇପାରୁନାହିଁ। ଏପରିକି ବାର୍ଷିକ କ୍ରୀଡ଼ା ନିମନ୍ତେ ନିକଟସ୍ଥ ଲାଠିପଡ଼ା ଖେଳପଡ଼ିଆ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଯାହା ଛାତ୍ରଛାତ୍ରୀଙ୍କର ଅସନ୍ତୋଷର କାରଣ ହୋଇଥାଏ । ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ବିଭାଗ ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ସ୍ବରୂପ ଯୁକ୍ତ ତିନି ସ୍ତରରେ ଇଂରାଜୀ ସମ୍ମାନ ଖୋଲିବା ଏବଂ ଖେଳପଡ଼ିଆ ନିର୍ମାଣ ପାଇଁ ଜନସାଧାରଣରେ ଦାବି ହେଉଛି।

Related posts